ବିଘ୍ନବିନାଶକ ଗଣେଶଙ୍କ ପୂଜା: ଆକର୍ଷଣୀୟ ମୂର୍ତ୍ତି ଓ ସାଜସଜ୍ଜାରେ କମ୍ପୁଛି ଶିକ୍ଷାନୁଷ୍ଠାନଠୁ ପୁରପଲ୍ଲୀ
News Summary
କେନ୍ଦୁଝର ଓ ପାଟଣା ଅଞ୍ଚଳରେ ଧୁମଧାମରେ ଗଣେଶ ପୂଜା। ଆକର୍ଷଣୀୟ ମୂର୍ତ୍ତି, ତୋରଣ ଓ ଆଲୋକ ସାଜସଜ୍ଜାରେ ଉତ୍ସବମୁଖର ପରିବେଶ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର, ୧୪/୦୯: ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ଗଜାନନ। ଗଣେଶ ପୂଜାକୁ ନେଇ କେନ୍ଦୁଝର ଜିଲ୍ଲା ସମେତ ପାଟଣା ଓ ଆଖପାଖ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଗାଁ, ସହର, ପ୍ରମୁଖ ଛକ ଓ ସାର୍ବଜନୀନ ମଣ୍ଡପଗୁଡ଼ିକରେ ଶ୍ରଦ୍ଧା ଓ ଭକ୍ତିର ସହ ଚାଲିଛି ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା।ଗଣେଶ ପୂଜା ପାଇଁ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ, ଆଲୋକମାଳା ଓ ସୁନ୍ଦର ସାଜସଜ୍ଜା କରାଯାଇଛି। ବିଭିନ୍ନ ମଣ୍ଡପରେ ବିଶାଳ ଓ ଆକର୍ଷଣୀୟ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଥିବାରୁ ଉତ୍ସବର ଆକର୍ଷଣ ଆହୁରି ବଢ଼ିଛି। ବୈଦିକ ମନ୍ତ୍ରୋଚ୍ଚାରଣ, ଘଣ୍ଟଘଣ୍ଟା ଓ ଆରତିରେ ପରିବେଶ ଭକ୍ତିମୟ ହୋଇପଡ଼ିଛି।ବିଭିନ୍ନ ପୂଜା ମଣ୍ଡପରେ ଷୋଡ଼ଶୋପଚାର ପୂଜା, ଆରତି ଓ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଛି। ପ୍ରଭୁ ଗଣେଶଙ୍କ ପ୍ରିୟ ଲଡୁ ଓ ମୋଦକ ଭୋଗ ଲାଗି ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।ବିଶେଷକରି କେନ୍ଦୁଝର ଓ ପାଟଣା ଆଖପାଖ ଅଞ୍ଚଳରେ ଧୁମଧାମରେ ଗଣେଶ ପୂଜା ପାଳନ କରାଯାଉଛି। କେଉଁଠି ସୁଉଚ୍ଚ ତୋରଣ ତ ଆଉ କେଉଁଠି ବିଶାଳ ଗଣେଶ ମୂର୍ତ୍ତି ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉତ୍ସାହର ସହ ଗଣେଶ ପୂଜା ପାଳନ କରୁଛନ୍ତି।ବିଦ୍ୟା, ବୁଦ୍ଧି, ସିଦ୍ଧି ଓ ଜ୍ଞାନର ଦେବତା ଭାବେ ପ୍ରଭୁ ଶ୍ରୀଗଣେଶଙ୍କୁ ପୂଜା କରାଯାଏ। ପ୍ରତ୍ୟେକ ଶୁଭକାର୍ଯ୍ୟ ଆରମ୍ଭ ପୂର୍ବରୁ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଉଥିବାରୁ ତାଙ୍କୁ ‘ଅଗ୍ରପୂଜ୍ୟ’ ଓ ‘ବିଘ୍ନବିନାଶକ’ ବୋଲି କୁହାଯାଏ।ଗଣେଶ ପୂଜା କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ଭାଇଚାରା, ଏକତା ଓ ସାମାଜିକ ସଦ୍ଭାବନାର ମଧ୍ୟ ପ୍ରତୀକ। ଗାଁଠାରୁ ସହର ପର୍ଯ୍ୟନ୍ତ ଲୋକେ ଏକାଠି ହୋଇ ଆନନ୍ଦ, ଉତ୍ସାହ ଓ ଭକ୍ତିର ସହ ଏହି ପବିତ୍ର ପର୍ବ ପାଳନ କରୁଛନ୍ତି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
