ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ
News Summary
ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ କେନ୍ଦୁଝରର ପ୍ରଧାନ ଶିକ୍ଷକ ତାରାଚାନ୍ଦ ମହାନ୍ତଙ୍କୁ ରରୁଆଁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୩/୯: ବିଭିନ୍ନ ଲୋକଙ୍କଠାରୁ ଫୋନ୍ ପେ ଏବଂ ହାତାହାତି ଭାବେ ଲକ୍ଷ ଲକ୍ଷ ଟଙ୍କା ଠକେଇ ନେଇଥିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ରରୁଆଁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ବ୍ୟକ୍ତି ହେଲେ ପାଟଣା ଥାନା ଅଞ୍ଚଳର କୁଣ୍ଡୁଳା ଏମ୍କେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବେଲସରେଇ ଗ୍ରାମର ମୂଳ ବାସିନ୍ଦା ତାରାଚାନ୍ଦ ମହାନ୍ତ (୫୯)।ଅଭିଯୋଗ ଅନୁସାରେ, ତାରାଚାନ୍ଦ ବିଭିନ୍ନ ଲୋକଙ୍କୁ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବା ପରେ ଚାକିରି କରାଇ ନଦେବା ସହ ଅଭିଯୋଗକାରୀଙ୍କୁ ଏଡ଼ାଇ ଚାଲୁଥିବା ଅଭିଯୋଗ ହୋଇଛି।ଏହା ସହିତ ସେ ପ୍ରାୟ ୩ ବର୍ଷ ହେଲା ବିଦ୍ୟାଳୟକୁ ନିୟମିତ ଭାବେ ପାଠ ପଢ଼ାଇବାକୁ ଆସୁନଥିବା ଅଭିଯୋଗ ରହିଛି। ମଝିରେ ମଝିରେ ବିଦ୍ୟାଳୟକୁ ଆସି ଉପସ୍ଥାନ ଖାତାରେ ଦସ୍ତଖତ କରି ନିଜ କରଞ୍ଜିଆସ୍ଥିତ ବାସସ୍ଥାନକୁ ଚାଲିଯାଉଥିବା କୁହାଯାଇଛି।ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳର ଜାମୁତି ଗ୍ରାମର ବାସିନ୍ଦା ସୁଶୀଲ ଚନ୍ଦ୍ର ମହାନ୍ତ ଚାକିରି କରାଇଦେବା ପାଇଁ ତାରାଚାନ୍ଦଙ୍କୁ ୫୦ ହଜାର ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି। ଟଙ୍କା ଦେବା ପରେ ଚାକିରି ନହେବା ସହ ତାରାଚାନ୍ଦଙ୍କ ସହ ଯୋଗାଯୋଗ ହୋଇନଥିବାରୁ ସୁଶୀଲ ରରୁଆଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଏହି ଅଭିଯୋଗ ଆଧାରରେ ରରୁଆଁ ଥାନାରେ କେସ୍ ନମ୍ବର ୮୦/୨୦୨୬ରେ ମାମଲା ରୁଜୁ ହୋଇଥିଲା। କରଞ୍ଜିଆ ଏସ୍ଡିପିଓ ନବକୃଷ୍ଣ ନାଏକ ଘଟଣାକୁ ଗୁରୁତ୍ୱ ଦେବା ପରେ ରରୁଆଁ ପୁଲିସ ତଦନ୍ତ କରି ତାରାଚାନ୍ଦ ମହାନ୍ତଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।ଅନ୍ୟପକ୍ଷରେ, ତାରାଚାନ୍ଦ ମହାନ୍ତଙ୍କ ବିରୋଧରେ ରରୁଆଁ ଥାନାରେ ଆଉ ଏକ ଠକେଇ ଅଭିଯୋଗ ହୋଇଛି। ଶରଧା ଗ୍ରାମର ରଞ୍ଜିତ ନାଏକ ଗତକାଲି ତାଙ୍କ ବିରୋଧରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର ୧୮୫/୨୦୨୬ରେ ଆଉ ଏକ ମାମଲା ରୁଜୁ କରିଛି। ଏହି ମାମଲାର ତଦନ୍ତ ଜାରି ରହିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)